ସେରକ ପୁରିଲା, ମାଣକ ପୁରିଲା ଉଠରେ ପୁତା ଉଠ
ତରୁ ଡାଳେ ବସି ବାହୁନି ବାହୁନି କାନ୍ଦଇ କପୋତ ମାତା
ସେରକ ପୁରିଲା, ମାଣକ ପୁରିଲା ଉଠରେ ଉଠରେ ପୁତା।
ଏଥିରେ କପୋତ ଓ କୁଆର କାହାଣୀ ଵର୍ଣ୍ଣନା କରାଯାଇଛି। କପୋତ ତା' ଶାବକକୁ ମାପି ଧାନ ଦେଲା। କୁଆ ବି।
ଯେତେବେଳେ କୁଆ ତା' ଶାବକର ଚାଉଳ ମାପିଲା, ଧାନ ସହ ସମାନ ମାପ ହେଲା କାରଣ କୁଆର ଶାବକ ଚାଉଳରୁ କୁଣ୍ଡା ଓ ତସୁ ( ଧାନର ମୋଟାଚୋପା) ଅଲଗା କରି ନ ଥିଲା।
କପୋତ ତା' ଶାବକ ଯାହା ଆଣିଥିଲା, ମାପିବାରୁ ସେରକ ପୁରିଲା ମାତ୍ର ମାଣକ ପୁରିଲା ନାହିଁ ( ଅର୍ଥାତ୍ କମ୍ ହେଲା।)। ଏଣୁ ରାଗରେ ତା ଶାବକକୁ ଖୁମ୍ପି ଖୁମ୍ପି ମାରିଦେଲା। ପରେ ଦେଖିଲା, ତା' ଶାବକ କେବଳ ପରିଷ୍କୃତ ଚାଉଳ ଆଣିଛି। କୁଣ୍ଡା ଓ ତସୁକୁ ଅଲଗା ରଖିଛି। ଏବେ ସେ ସବୁକୁମିଶାଇ ମାପ କରିବାରୁ, ସେରକ ଓ ମାଣକ ଉଭୟ ପୁରା ହେଲା। ଅର୍ଥାତ୍ ଯେତିକି ଧାନ ଦେଇଥିଲା, ତାହାର ହିସାବ କପୋତ ପାଇଗଲା।
ଏବେ ସେ ନିଜ ଭୁଲ୍ ବୁଝିପାରି ଅନୁତପ୍ତ। ଯେତେ ତା' ଶାବକକୁ ଡାକିଲା, "ସେରକ ପୁରିଲା................... ଉଠରେ ଉଠରେ ପୁତା "
ସେ ଆଉ ଉଠିଲା ନାହିଁ।
ପୁତା= ଛୋଟ ଶିଶୁ, ସନ୍ତାନକୁ ଆଦରରେ ପୁତା ଡକାଯାଏ।
ସେରକ= ଏକ ସେର( ମାପ ଵିଶେଷ)
ମାଣକ = ଏକ ମାଣ ( ମାପ ଵିଶେଷ)
(ଉଭୟ ଆୟତନର ମାପ) Measure of Volume
ଶିକ୍ଷା :-
ଆଗ ଭଲକରି ବିଷୟରେ ପୁଙ୍ଖାନୁପୁଙ୍ଖ ଅନୁଶୀଳନ କରି ସିଦ୍ଧାନ୍ତରେ ପହଞ୍ଚିବ।
ହଠାତ୍ ଉତ୍କ୍ଷିପ୍ତ ହେବା ଅନୁଚିତ। ସବୁ ଭୁଲର ସଂଶୋଧନ ହୋଇ ନ ପାରେ।
( ତୃତୀୟ ଶ୍ରେଣୀ ବହି, ୧୯୫୩-୫୪, ୟୁନିଟ ୪ ମଧ୍ୟପ୍ରାଥମିକ ବିଦ୍ୟାଳୟ, ନିଉ କେପିଟାଲ୍, ଭୁବନେଶ୍ୱର। ବହିର ଲେଖକ ଶ୍ରୀ ରାମକୃଷ୍ଣ ନନ୍ଦ।)
Comments
Post a Comment